କରୋନା ଆତଙ୍କ: ୨ ଦେଶ ଦେଖାଇଲେ ଆଶାର ଆଲୋକ

ନୂଆଦିଲ୍ଲୀ (ଓଟି): ବିଶ୍ଵବ୍ୟାପି କାୟା ମେଲାଇଛି ମହାମାରୀ କୋବିଡ୍-୧୯ ତଥା କରୋନା। ଏହାର ଦାଉରୁ ବର୍ତ୍ତିବା ପାଇଁ ଏଯାଏଁ ବାହାରିନି ଠିକଣା ଟିକା କି ଔଷଧ। ପୂର୍ବରୁ ପ୍ରବାସୀ ଭାରତୀୟ ବିଶେଷଜ୍ଞ ସମେତ ଇସ୍ରାଏଲ୍‌ ଭଳି କିଛି ଦେଶର ବୈଜ୍ଞାନିକ ଏଦିଗରେ ସକାରାତ୍ମକ ଦିଗ ଦେଖାଇଥିଲେ। ତେବେ ସମ୍ପୂର୍ଣ୍ଣ ସଫଳ ହୋଇନାହାନ୍ତି କେହି ଔଷଧ ବାହାର କରିବାରେ। ସେହିପରି ନିକଟରେ ଆମେରିକା ପ୍ରସ୍ତୁତ କରିଥିବା ପ୍ରତିଷେଧକ ଟିକା ୪୫ ଜଣ ସ୍ଵେଚ୍ଛାସେବୀଙ୍କ ନିକଟରେ ପରୀକ୍ଷଣ କରି ନୂଆ ଆଶା ସଞ୍ଚାର କରିଥିଲା। ଖାଲି ସେତିକି ନୁହେଁ, ଭାରତର ରାଜସ୍ଥାନ ପ୍ରଦେଶର ଜୟପୁର ସରକାରୀ ଚିକିତ୍ସାଳୟର ଡାକ୍ତରୀ ଦଳ ଅଭିନବ ପରୀକ୍ଷା ନିରୀକ୍ଷା କରି ୩ ଜଣ କରୋନା ସଂକ୍ରମିତଙ୍କୁ ସମ୍ପୂର୍ଣ୍ଣ ଭଲ କରିଦେଇଥିଲେ। ଏହି କ୍ରମରେ ଇଂଲଣ୍ଡ ଓ ପରାସୀ ବୈଜ୍ଞାନିକ ମଧ୍ୟ ନବାଲୋକ ଦେଖାଇଛନ୍ତି। ଫଳରେ କରୋନାରୁ ନିକଟ ଭବିଷ୍ୟତାରେ ମୁକ୍ତି ମିଳିବାର ଉପାୟ ମିଳିବା ନେଇ ବିଶ୍ଵବାସୀ ପୁଣି ଆଶା କରିଛନ୍ତି।

ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ଇଂଲଣ୍ଡର ଅକ୍ସଫୋର୍ଡସିର୍ ସହରରେ ଥିବା ଏକ ଘରୋଇ ସଂସ୍ଥାର ବୈଜ୍ଞାନିକମାନେ ଆଣ୍ଟିବଡିର ଉଦ୍ଭାବନ କରିଛନ୍ତି। ଏହା କରୋନା ଭାଇରସ ଦିଗରେ ବଡ଼ ସଫଳତା ବୋଲି କୁହାଯାଉଛି। ବୈଜ୍ଞାନିକଙ୍କ ଏକ ଟିମ୍ ଏହି ଆଣ୍ଟିବଡିକୁ ସିଭିୟର ଆକ୍ୟୁଟ୍ ରେସପିରେଟୋରୀ ସିଣ୍ଡ୍ରୋମ ବା ସାର୍ସ୍  ସଂକ୍ରମିତଙ୍କ ଶରୀରରେ ପାଇଛନ୍ତି। କରୋନା ଓ ସାର୍ସ ରୋଗର ଲକ୍ଷଣ ସମାନ ବୋଲି ସେମାନେ କହିଛନ୍ତି। ସୂଚନା ଯୋଗ୍ୟ ଯେ ୨୦୦୨-୦୩ରେ ସାର୍ସ ବଡ଼ ଘାତକ ସାବ୍ୟସ୍ତ ହୋଇଥିଲା। ସେହି ଚୀନ୍‌ରୁ ହିଁ ବ୍ୟାପିଥିବା ସାର୍ସ ଯୋଗୁ ପ୍ରାୟ ୮ଶହରୁ ଅଧିକ ପ୍ରାଣ ହରାଇଥିଲେ। କରୋନା ଭାକସିନ୍ ସନ୍ଧାନରେ ପରୀକ୍ଷା କରୁଥିବା ବୈଜ୍ଞାନିକମାନେ ସେଭଳି ସାର୍ସ ରୋଗୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ଡାଏମଣ୍ଡ୍ ଲାଇଟ୍ ସୋର୍ସ ଉପକରଣ ସାହାଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ଏଥିରେ ରୋଗୀଙ୍କ ଶରୀରରେ ସ୍ୱତନ୍ତ୍ର ଆଣ୍ଟିବଡି ଦେଖିବାକୁ ମିଳିଥିଲା ଏବଂ ତାହା ଭାଇରସ ସହ ସହଜରେ ଲଢ଼ିପାରୁଥିଲା। ଏନେଇ ସମ୍ପୃକ୍ତ ସଂସ୍ଥାର ଜୀବବିଜ୍ଞାନୀ ତଥା ନିର୍ଦ୍ଦେଶକ ଗ୍ୱେଣ୍ଡାଫ୍ ଇଭାନ କହିଛନ୍ତି ଯେ ଠାବ ହୋଇଥିବା ଆଣ୍ଟିବଡି କରୋନା ଭାଇରସ ସହ ମଧ୍ୟ ସାର୍ସ ଭଳି ଲଢ଼େଇ କରିଥିଲା। କରୋନା ଭାଇରସର ଆକାର କଣ୍ଟା ଥିବା ଭଳି ହୋଇଥିବାବେଳେ ନୂଆ ଆଣ୍ଟିବଡି ତାସହ ଲଢ଼େଇ କରିବାକୁ ସକ୍ଷମ ବୋଲି ସେ ଦାବି କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ଭାକସିନ୍ ଯାଞ୍ଚ ମଧ୍ୟରେ ତୁରନ୍ତ ଟେଷ୍ଟ ପାଇଁ ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ରାପିଡ୍ ଟେଷ୍ଟିଂ ଟେକ୍ନୋଲୋଜିର ଆବିଷ୍କାର କରିଥିଲେ।

ଅନୁରୂପ ଭାବେ କରୋନା ଚିକିତ୍ସା ପାଇଁ ଜଣେ ଫରାସୀ ଗବେଷକ ତାଙ୍କ ଔଷଧ ପରୀକ୍ଷଣ ସଫଳ ହୋଇଥିବା ଦାବି କରିଛନ୍ତି। ଔଷଧ ଦେବାର ଛଅଦିନ ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ନିଷ୍କ୍ରିୟ କରାଯାଇପାରିବ ବୋଲି  ସେ କହିଛନ୍ତି। ସେ ହେଉଛନ୍ତି ଆଇଏଚୟୁ ମେଡିଟେରାନି ହସ୍ପିଟାଲର ସଂକ୍ରମଣ ରୋଗ ବିଶେଷଜ୍ଞ ପ୍ରଫେସର ଡାଇୟର୍ ରାଓଲ୍ଟ୍। ସେ କରିଥିବା ଗବେଷଣାକୁ ଭିଡିଓ ଜରିଆରେ  ଉପସ୍ଥାପିତ କରିଛନ୍ତି। କରୋନା ଭାଇରସର ସମ୍ଭାବ୍ୟ ଚିକିତ୍ସା ପାଇଁ ଗବେଷଣା କରିବାକୁ ଫ୍ରାନ୍ସ ସରକାର ତାଙ୍କୁ ଦାୟିତ୍ୱ ନ୍ୟସ୍ତ କରିଥିଲେ। ସେ ଚିକିତ୍ସା କରିଥିବା ପ୍ରଥମ କରୋନା ରୋଗୀଙ୍କୁ କ୍ଲୋରୋକୁଇନ ଦେଇଥିଲେ। ଏହା ପରେ ସମ୍ପୃକ୍ତ ରୋଗୀଙ୍କ ଆରୋଗ୍ୟ ପ୍ରକ୍ରିୟା ଦ୍ରୁତତର ହୋଇଥିଲା ଏବଂ ସଂକ୍ରମିତ ଭୂତାଣୁଙ୍କ ସମୟ ଅବଧି ମଧ୍ୟ ହ୍ରାସ ପାଇଥିଲା। ବିଶେଷକରି ମ୍ୟାଲେରିଆ ପାଇଁ ବ୍ୟବହାର ହେଉଥିବା କ୍ଲୋରୋକୁଇନକୁ ରାଓଲ୍ଟ ଭିନ୍ନ ଉପାୟରେ ରୋଗୀଙ୍କୁ ଦେଇଥିଲେ।

ସେ ଯାହାହେଉ, ପ୍ରଫେସର ରାଓଲ୍ଟ୍ ଓ ଅକ୍ସଫୋର୍ଡସିର୍‌ର ବୈଜ୍ଞାନିକମାନେ ବିଶ୍ଵକୁ ନୂଆ ଆଲୋକ ଦେଖାଇବା ନେଇ ବିଭିନ୍ନ ମହଲରେ ଆଶା ସଞ୍ଚାର ହୋଇଛି।

Leave a Reply

Your email address will not be published. Required fields are marked *