‘ଉପହାର’ ଦେଲା ଆଘାତ, ୨ ମୃତ ୨୫ ଆହତ

ଉର୍ସ ଉତ୍ସବରୁ ଫେରୁଥିଲେ । ୨୫ ଆହତ । ୭କଟକ ସ୍ଥାନାନ୍ତର


ଭଦ୍ରକ, (ଓଟି): ଷୋହଳ ନମ୍ବର ଜାତୀୟ ରାଜପଥର ବନ୍ତଛକ ଓଭରବ୍ରିଜ ଉପରେ ଭୋର୍ ସାଢ଼େ ୩ଟାରେ ଏକ ବସ୍ ସହିତ ଟ୍ରକ୍ ଧକ୍କା ହେବା ଫଳରେ ୨ଜଣଙ୍କ ମୃତ୍ୟୁ ହୋଯାଇଛି । ଏଥିସହ ୨୫ରୁ ଊଦ୍ଧ୍ୱର୍ ବ୍ୟକ୍ତି ଆହତ ହୋଇଥିବା ବେଳେ ୭ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଭଦ୍ରକ ଜିଲ୍ଲା ଧାମନଗର ଠାରେ ଅନୁଷ୍ଠିତ ପ୍ରସିଦ୍ଧ ଉର୍ସ ଉତ୍ସବରୁ ଶ୍ରଦ୍ଧାଳୁମାନଙ୍କୁ ନେଇ ଫେରୁଥିବା ଉକ୍ତ ବସ୍ \”ଉପହାର\’ ୧୬ ନମ୍ବର ଜାତୀୟ ରାଜପଥର ବନ୍ତ ଛକ ଫ୍ଲାଇ ଓଭର ଉପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେବା ଫଳରେ ୨ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ, ୨୫ଜଣ ଆହତ ହୋଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରୁ ଲୋକଙ୍କୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିଲେ । ଉଭୟ ଟ୍ରକ ଓ ବସର ଚାଳକ ଇଞ୍ଜିନ ମଧ୍ୟରେ ଚାପି ହୋଇରହିଥିବା ବେଳେ, ଅଗ୍ନିଶମବାହିନୀ ଘନ ଅନ୍ଧକାର ମଧ୍ୟରେ ଅକ୍ଲାନ୍ତ ପରିଶ୍ରମ କରି ଗ୍ୟାସ କଟର ସହାୟତାରେ କାଟି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମୃତକମାନେ ହେଲେ ଭଦ୍ରକ ପୌରପାଳିକା ମିର୍ଜାପୁରର ସେକ ନିଜାମୁଦ୍ଦିନ ଓ ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ଅଞ୍ଚଳର ସାୟଦ ଇଦ୍ରିଶ ବାସା ବୋଲି ଜଣା ପଡ଼ିଛି । କଟକ ସ୍ଥାନାନ୍ତର ହୋଇଥିବା ବ୍ୟକ୍ତିମାନେ ହେଲେ ସୋରର ସେକ୍ ସବିର ଓ ସେକ୍ ରାଜା, କଟକର ସେକ ଜବାର, ଜଗତସିଂପୁରର ଜଲିଲ ଖାନ, ଆବାସ ଅଲ୍ଲୀ, ବିଶାଖାପାଟଣାର ଶହିଦ ଖାନ, କୋଲକାତାର ଜ୍ୟୋତି କୁମାରୀ, ବାଲେଶ୍ୱରର ସେକ ଅଜୁ । ତେବେ ଅନ୍ୟ ଜଣକ ପରିଚୟ ମିଳିପାରି ନାହିଁ । ଦୁର୍ଘଟଣା ଖବର ପାଇ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲାପାଳ ଜ୍ଞାନ ଦାସ, ଏସପି ରାଜେଶ ପଣ୍ଡିତ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଆଞ୍ଚଳିକ ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଦାସଅଧିକାରୀଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଦୁର୍ଘଟଣାସ୍ଥଳ ଓ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିଲେ । ଗୁରୁତର ଆହତ ଓ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନଙ୍କ ପାଇଁ ଜିଲ୍ଲାପାଳ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରିଥିଲେ । ନିଜାମୁଦ୍ଦିନଙ୍କ ମୃତଦେହ ବ୍ୟବଛେଦ ପରେ ଲୋକେ ମେଡିକାଲ ସମ୍ମୁଖରେ ରଖି କ୍ଷତିପୂରଣ ପାଇଁ ଧାରଣା ଦେଇଥିଲେ । ବିଧାୟକ ଶ୍ରୀ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ଳକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

Leave a Reply

Your email address will not be published. Required fields are marked *