ସତ୍ତା ଓ ସାମ୍ବାଦିକତା

ବରେନ୍ଦ୍ର କୃଷ୍ଣ ସାହୁ

ରୋନା ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତିତ । ବର୍ତ୍ତମାନ ସୁଦ୍ଧା ଏହି ରୋଗର ପ୍ରତିଷେଧକ ବାହାରି ନଥିବା ବେଳେ ଲକ୍ ଡାଉନ୍ ଓ ସଟ୍ ଡାଉନରେ ଲୋକେ ନୟାନ୍ତ ହୋଇ ପଡ଼ିଲେଣି । ଅର୍ଥନୀତି ତଳିତଳାନ୍ତ ହୋଇଗଲାଣି । ପେଟ ଚିନ୍ତାରେ ଦିନ ମଜୁରିଆଙ୍କ ଦିନ ସରୁନି । ସେପଟେ ଘର ଛାଡ଼ି ରାଜ୍ୟ ବାହାରେ ଫସି ରହିଥିବା ଲୋକେ ଭୋକ, ଉପାସରେ ଦିନ ଗଣୁଛନ୍ତି । ନା ସେମାନଙ୍କୁ ନିଜ ରାଜ୍ୟରୁ ଠିକଣା ସହଯୋଗ ମିଳୁଛି ନା କାମ କରୁଥିବା ରାଜ୍ୟରେ । ସରକାରଙ୍କ ହେଲ୍ପ ଡେକ୍ସ ବା ହେଲ୍ପ ଲାଇନ୍ ନମ୍ବର କେବଳ ପ୍ରଚାର ସର୍ବସ୍ୱ ହୋଇ ରହିଯାଇଛି । ଏସବୁ ସମସ୍ୟାର ସମାଧାନ ଅନେକାଂଶରେ ପୂରଣ କରି ପାରିବାର କ୍ଷମତା ଗଣମାଧ୍ୟମର ରହିଛି । କିନ୍ତୁ ବର୍ତ୍ତମାନର ସାମ୍ବାଦିକତା, ସତ୍ତା ବା କ୍ଷମତାର ନିକଟବର୍ତ୍ତୀ ହୋଇ ଯାଇଥିବା ବେଳେ ଗଣମାଧ୍ୟମକୁ ଲୋକେ ‘ଜଣମାଧ୍ୟମ’ ବୋଲି କହିଲେଣି । ଖାଲି ସେତିକି ନୁହେଁ, ନିରପେକ୍ଷ ସାମ୍ବାଦିକତା ବଦଳରେ ଏଠି ଚାଲିଛି ‘ନିଜପକ୍ଷ’ ସାମ୍ବାଦିକତା ।

କରୋନା ପ୍ରଭାବରେ ଭାରତ ଭଳି ବିକାଶଶୀଳ ଦେଶ ଠାରୁ ବିଶ୍ୱର ବହୁ ବିକଶିତ ଦେଶ ଆଣ୍ଠେଇ ପଡ଼ିଲେଣି । ତେବେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଉଠିବାର ସମୟ ପାଖେଇ ଆସୁଥିବା ବେଳେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହା ନିହାତି ଚିନ୍ତାର ବିଷୟ । ଏଭଳି କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପ ସବୁର ଅନୁଶୀଳନ କରାଯିବାର ଆବଶ୍ୟକତା ରହିଛି । ସମାଜର ଏକ ବୁଦ୍ଧିଜୀବୀ ଅଙ୍ଗ ଭାବେ ଗଣମାଧ୍ୟମର ଏ କ୍ଷେତ୍ରରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । କିନ୍ତୁ ପରିତାପର ବିଷୟ ବର୍ତ୍ତମାନର ପରିସ୍ଥିତିରେ ଆମ ଦେଶ ଭାରତରେ ତାହା ଆଦୌ ପରିଲକ୍ଷିତ ହେଉନି । ଅଧିକାଂଶ ଗଣମାଧ୍ୟମ ସତ୍ତାର ଦୋଷ ଦୁର୍ବଳତାକୁ ଲୁଚାଇ ପ୍ରସଙ୍ଗକୁ ଭିନ୍ନ ମୋଡ଼ ଦେବାରେ ବ୍ୟସ୍ତ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସଂପୃକ୍ତ ଆତଙ୍କବାଦୀ ସଂଗଠନକୁ ଚିହ୍ନି ପାରି ନଥିବା ଗଣମାଧ୍ୟମ, ତବଲିଗି ସମ୍ମିଳନୀର ମୂଳ ପ୍ରସଙ୍ଗକୁ ଯାଇ ପାରୁନି । ଜାନୁଆରୀ ମାସରୁ ଦେଶରେ କରୋନା ପଶି ସାରିଥିବା ବେଳେ ମାର୍ଚ୍ଚ ମଧ୍ୟ ଭାଗରେ ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ହେଲା ତବଲିଗି ଜମାତି ସମ୍ମିଳନୀ । ତେବେ ଏହି ସମ୍ମିଳନୀ କରିବାକୁ କିଏ ଅନୁମତି ଦେଲା, ଏଥି ପାଇଁ ବିଦେଶୀଙ୍କୁ କିଏ ଦେଶରେ ପୂରାଇଲା, ତାହାର ଉତ୍ତର ଖୋଜି ବାହାର କରିବା କିମ୍ବା ସେ ବାବଦରେ ସତ୍ତାଧାରୀଙ୍କୁ ପ୍ରଶ୍ନ କରିବାର ସତ୍ ସାହାସ ରଖୁ ନଥିବା ଗଣମାଧ୍ୟମ କିନ୍ତୁ ବେଶ୍ ଭଲ ରକମ ଭୁଆଁବୁଲା ଖବର ପରିବେଷଣ କଲେ । ନ୍ୟୁଜ୍ ନାଁରେ ଟେଲିଭିଜନ୍ ପରଦାରେ ଖୁନ୍ଦି ଦେଲେ 24*7 ନଏଜ୍ । ତେବେ ମହାରାଷ୍ଟ୍ର ପାଲଘରରେ 2 ଜଣ ହିନ୍ଦୁ ସନ୍ଥ ଏବଂ ସେମାନଙ୍କ ଡ୍ରାଇଭରଙ୍କ ହତ୍ୟା ପରେ ବେଶ୍ ଅପଚର୍ଚ୍ଚିତ ହୋଇଛି ଭାରତୀୟ ଗଣମାଧ୍ୟମ । ଲକ୍ ଡାଉନ୍ ଆଳରେ କିଛି ଗଣମାଧ୍ୟମ, ଏହାକୁ ଦିନେ ଦୁଇ ଦିନ ଚପାଇ ଦେଲେ । ଘଟଣା ଜଣାପଡ଼ିବା ପରେ କିଛି,ଏହାକୁ ଭିନ୍ନ ରୂପ ଦେଲେ ।

ସବୁଠାରୁ ବଳିଗଲା ରିପବ୍ଲିକ୍ ଟିଭିର ଏଡିଟର୍-ଇନ୍-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପସ୍ଥାପନା ଶୈଳୀ । ଯେଉଁଭଳି ବଡି ଲାଙ୍ଗୁଏଜରେ ଅର୍ଣ୍ଣବ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରସଙ୍ଗରେ ଟାଣି-ଓଟାରି ପୂରାଇଲେ ଏବଂ ବ୍ୟକ୍ତିଗତ ସ୍ତରକୁ ଖସିଯାଇ ତାଙ୍କୁ ଅଶାଳୀନ ଆକ୍ଷେପ କଲେ, ତାହା କାହିଁକି କେଜାଣି ସଭ୍ୟ ସମାଜରେ ଗ୍ରହଣୀୟ ହୋଇପାରୁନି । ପାଲଘର ହତ୍ୟାକାଣ୍ଡ ଭଳି ଘଟଣା ଉପରେ ଜଣେ ରାଜନେତା କିମ୍ବା ପ୍ରାଶାସନିକ ଅଧିକାରୀଙ୍କୁ ପ୍ରଶ୍ନ କରିବାର ଅଧିକାର, କେବଳ ଜଣେ ସାମ୍ବାଦିକର କାହିଁକି, ସାଧାରଣ ଲୋକଙ୍କର ମଧ୍ୟ ରହିଛି । କିନ୍ତୁ ଅର୍ଣ୍ଣବଙ୍କ ଉପସ୍ଥାପନା ଶୈଳୀ, ବଡି ଲାଙ୍ଗୁଏଜ୍ ଏବଂ ବ୍ୟକ୍ତିଗତ ସ୍ତରକୁ ଖସିଯିବା ସାମ୍ବାଦିକତାର ସମ୍ପୂର୍ଣ୍ଣ ପରିପନ୍ଥୀ ।

ବ୍ୟକ୍ତିଗତ ଜୀବନରେ ଆଗକୁ ବଢ଼ିବା କିମ୍ବା କ୍ଷମତାର ନିକଟବର୍ତ୍ତୀ ହେବାର ମୋହ ସବୁ ଲୋକଙ୍କର ରହିଛି । କିନ୍ତୁ ଏ କ୍ଷେତ୍ରରେ ନିଶାକୁ ପେଶା କରିଥିବା ସାମ୍ବାଦିକ ଯଦି ପେଶାକୁ ବେଉସା କଲା ତେବେ କଥା ସରିଲା । ବୋଧ ହୁଏ ଅର୍ଣ୍ଣବ ଗୋସ୍ୱାମୀଙ୍କ କ୍ଷେତ୍ରରେ ଏହା ହୋଇଛି । ଅତ୍ୟଧିକ ଟଙ୍କା ରୋଜଗାର ଏବଂ ସତ୍ତା ବା କ୍ଷମତାର ନିକଟବର୍ତ୍ତୀ ହେବା ପାଇଁ ସାମ୍ବାଦିକତାକୁ ଯେ, ଅର୍ଣ୍ଣବ ଜଳାଞ୍ଜଳି ଦେଇ ସାରିଛନ୍ତି, ତାହା ବୁଝିବାକୁ ଆଉ ବାକି ନାହିଁ । ଖାଲି ସେତିକି ନୁହେଁ, ସାରା ଦେଶରେ ଗଣମାଧ୍ୟମର ବର୍ତ୍ତମାନର ବିପର୍ଯ୍ୟୟ ପାଇଁ ଅର୍ଣ୍ଣବଙ୍କ ଭଳି ଆଉ କିଛି ହାତଗଣତି ସାମ୍ବାଦିକଙ୍କୁ ମଧ୍ୟ ଲୋକେ ଦାୟୀ କରୁଛନ୍ତି । ଯେଉଁଥି ପାଇଁ ଦିନେ ସାମ୍ବାଦିକଙ୍କୁ ସମ୍ମାନ ଦେଉଥିବା ଲୋକେ ଏବେ ଦଲାଲ୍ ବୋଲି କହି ଘୃଣା କରିବାକୁ ପଛାଉ ନାହାନ୍ତି ।

ସାମ୍ବାଦିକତା ଥିଲା, ଏବେ କିନ୍ତୁ ନାହିଁ । ଏବେ ତାହା ‘ସାମ୍ବାଧିକତା’ରେ ପରିଣତ ହୋଇ ସାରିଛି । ସେହିଭଳି ଗଣମାଧ୍ୟମ ଆଉ ଗଣ ବା ଲୋକଙ୍କ ସ୍ୱର ହୋଇ ନାହିଁ । ସତ୍ତା ବା କ୍ଷମତାର ଏହା ଯେ, ପ୍ରଚାର ସ୍ୱର ହୋଇଯାଇଛି, ତାହା ସାଧାରଣ ଲୋକଙ୍କୁ ଆଉ ବୁଝିବାକୁ ବାକି ନାହିଁ ।

2014 ସାଧରଣ ନିର୍ବାଚନ ଫଳାଫଳ ପ୍ରକାଶ ପରେ କଂଗ୍ରେସ ତାର ସତ୍ତା ହରାଇଲା । ଏପରିକି ସହଯୋଗୀଙ୍କୁ ନେଇ ମଧ୍ୟ ବିରୋଧୀ ଆସନରେ ବସିବାର ସାମ୍ବିଧାନିକ ଯୋଗ୍ୟତା ହାସଲ କରିପାଲିଲା ନାହିଁ । ଯାହାକୁ ନେଇ ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କଲେ । ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧୀ ଦଳ ନରହିବା, ସେମାନଙ୍କୁ ବ୍ୟଥିତ କଲା । ଏଭଳି ସ୍ଥିତିରେ ଗଣମାଧ୍ୟମ ଉପରେ ରହିଲା ସମସ୍ତଙ୍କ ନଜର । ଗଣମାଧ୍ୟମ ହିଁ ବିରୋଧୀ ଦଳର ଭୂମିକା ନିଭାଇ ସରକାରଙ୍କ ଠିକ୍-ଭୁଲ୍ ବାଛି ଉଚିତ ପରାମର୍ଶ ଦେବ ବୋଲି ସେମାନେ ଆଶା ରଖିଲେ । କିନ୍ତୁ କୌଣସି ସାମ୍ବିଧାନିକ ଲେଖା ପ୍ରମାଣ ନଥାଇ, ନିଜକୁ ସବୁବେଳେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କହି ଆସୁଥିବା ଗଣମାଧ୍ୟମ, ସତ୍ତାଧାରୀର ପୋଷା ଶୁଆ ପାଲଟି ଗଲା । କିଛି ଦିନ ପଞ୍ଜୁରୀ ଭିତରେ ଫଡ଼ ଫଡ଼ ହୋଇ ଶୁଆଟି ଶେଷରେ ମୁନୀବର ବୋଲ ମାନିଲା ଭଳି କିଛି ସାମ୍ବାଦିକ ସେମାନଙ୍କ ରୂପ-ରଙ୍ଗ ବଦଳାଇ ଦେଲେ । ତେବେ ସ୍ୱାଭିମାନ ସହ ସାଲିସ୍ କରି ନପାରିବା ଅନେକ ପ୍ରତିଷ୍ଠିତ ସାମ୍ବାଦିକଙ୍କ ପାଇଁ ଏହା ମହଙ୍ଗା ପଡ଼ିଲା ।

ଚାଟୁକାରିତାର ପରିଣତି ଭୟଙ୍କର । ଚାଟୁକାର ବଦଳରେ ଗଠନମୂଳକ ସମାଲୋଚନା କରୁଥିବା ବ୍ୟକ୍ତି ହିଁ ପ୍ରକୃତ ମାର୍ଗଦର୍ଶକ ବୋଲି ଚାଣକ୍ୟ କହିଛନ୍ତି । କିନ୍ତୁ ବର୍ତ୍ତମାନର ସ୍ଥିତିରେ ଚାଣକ୍ୟଙ୍କ ରାଜନୀତିକୁ ଆପଣାଉଥିବା ନେତାମାନେ ସମାଲୋଚକଙ୍କ ଅପେକ୍ଷା ଚାଟୁକାରଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯାହାର ପ୍ରତିଫଳନ ଭାରତୀୟ ଗଣମାଧ୍ୟମ ଉପରେ ପଡ଼ିଛି । ଦିନ ଥିଲା ସତ୍ତାଧାରୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କରୁଥିଲେ ସାମ୍ବାଦିକ । ସତର ପୂଜାରୀ ସାମ୍ବାଦିକଙ୍କୁ ଦେଖି, ମୁହଁ ଲୁଚାଉ ଥିଲେ ସରକାରୀ ଅଧିକାରୀ । ଏବେ କିନ୍ତୁ ସେ ଯୁଗ ନାହିଁ । ସତ୍ତା ଯାହା କହିବ… ସାମ୍ବାଦିକ କେବଳ ତାହା ହିଁ ଲେଖିବ । ସତ୍ତାର ମନ୍ତବ୍ୟ, ଘୋଷଣା କିମ୍ବା ଯୋଜନାକୁ ଗଠନମୂଳକ ଶୈଳୀରେ ସମାଲୋଚନା କରିବାର ନୈତିକ ଅଧିକାର ଏବଂ କର୍ତ୍ତବ୍ୟ ହରାଇ ବସିଛି ସାମ୍ବାଦିକ ।

ସାମ୍ବାଦିକତାର ଏଭଳି ଦୁସ୍ଥିତି ପାଇଁ କେବଳ ଯେ, ସାମ୍ବାଦିକ ଦାୟୀ ତା ନୁହେଁ । ଗଣମାଧ୍ୟମ ସଂସ୍ଥାର ମାଲିକମାନେ ହିଁ ଏହାର ମୂଳକାରଣ । ଖବରକାଗଜ ଓ ଟେଲିଭିଜନକୁ ଢାଲ କରି କିଏ ବେପାର କରୁଛି ତ ଆଉ କିଏ ରାଜନୀତି । କେବଳ ନିଜ ସ୍ଥିତିକୁ ବଞ୍ଚାଇ ରଖିବା ପାଇଁ ସାମ୍ବାଦିକଙ୍କୁ ସେମାନେ ବ୍ୟବହାର କରୁଛନ୍ତି । ସତ୍ତାର ସ୍ଥିତି ନେଇ ପ୍ରଶ୍ନ ଉଠାଇବା ବଦଳରେ ସତ୍ତା ସପକ୍ଷରେ କଲମ ଚାଳନା କରି ନିଜ କଳା କାରନାମାକୁ ଢାଙ୍କିବାକୁ ସାମ୍ବାଦିକଙ୍କୁ ଦେଉଛନ୍ତି ସଫା ସଫା ନିର୍ଦ୍ଦେଶ । ତେବେ ଏଠି ପ୍ରଶ୍ନ ଉଠୁଛି, କଣ କେବଳ ସତ୍ତାର ନିକଟବର୍ତ୍ତୀ ହୋଇ ରହିଲେ ହିଁ ସାମ୍ବାଦିକତା କରିହେବ, ନହେଲେ ନାହିଁ ?

ବିଭୁତି ରଥ । ଏକଦା ଓଡ଼ିଶା ସାମ୍ବାଦିକତା ଜଗତରେ ଥିଲେ ଜଣେ ଅତି ପରିଚିତ ମୁହଁ । ଏକ ପ୍ରତିଷ୍ଠିତ ଦୈନିକ ଖବର କାଗଜରେ ଥିଲେ ରିପୋର୍ଟର । ତାଙ୍କ ସଂସ୍ପର୍ଶରେ ଆସିଥିବା ସାମ୍ବାଦିକ ବନ୍ଧୁମାନେ ତାଙ୍କ କଲମ ମୂନର କ୍ଷମତା ଦେଖିଛନ୍ତି । ସେ ସତ୍ତାଧାରୀ ହୁଅନ୍ତୁ ବା ବିରୋଧୀ… କେହି ବି ତାଙ୍କ ଗୁଳିରୁ ବର୍ତ୍ତି ପାରୁ ନଥିଲେ । ବିଧାନସଭା ଅଧିବେଶନ ସମୟରେ ତାଙ୍କ ସଭା ଗୁଳି ଏବଂ ନିର୍ବାଚନ ସମୟରେ ତାଙ୍କ ଭୋଟ୍ ଗୁଳି ଅନେକ ନେତାଙ୍କ ଦେହରେ ବାଜିଛି । ଏପରିକି ଅଧିବେଶନ ସମୟରେ ବାଚସ୍ପତି ବି ବର୍ତ୍ତି ନାହାନ୍ତି । ଆଉ ଦିଲ୍ଲୀରେ ଥାଇ, ସକାଳୁ ସକାଳୁ ଖବର କାଗଜ ଖୋଲିବା ମାତ୍ରେ ଅଧିକାଂଶ ସମୟ ବିଭୁତିଙ୍କ ଗୁଳି ମଧ୍ୟ ଖାଇଛନ୍ତି ତାଙ୍କ ସମ୍ପାଦକ । ସଭା ଗୁଳି ଓ ଭୋଟ୍ ଗୁଳି ମାଧ୍ୟମରେ ସତ୍ତାଧାରୀ ଓ ବିରୋଧୀଙ୍କ ମଞ୍ଜ ଭେଦା ମରମ କଥା ଲେଖୁଥିଲେ ବିଭୁତି ରଥ । ଯାହା ସାଧାରଣ ପାଠକଙ୍କୁ ତଥ୍ୟଭିତ୍ତିକ ଆମୋଦ ଦେଉଥିଲା । ତେବେ ସବୁଠାରୁ ବଡ଼ କଥା ହେଲା, ଯେଉଁମାନଙ୍କୁ ଗୁଳି ମାଡ଼ ହେଉଥିଲା, ସେମାନେ ମଧ୍ୟ ବିଭୁତିଙ୍କ ଲେଖାକୁ  ପ୍ରଶଂସା ନକରି ରହିପାରୁ ନଥିଲେ । ବିଭୁତିଙ୍କ ମୃତ୍ୟୁ ପରେ ଓଡ଼ିଶାରେ ଗୁଳି ସାମ୍ବାଦିକତା ସମାଧି ନେଇ ସାରିଥିବା ବେଳେ ଆଧିପତ୍ୟ ବିସ୍ତାର କରିଛି ଚାଟୁକାରିତା ।

ବିଭୁତି ରଥଙ୍କ ସଭା ଗୁଳି ଓ ଭୋଟ୍ ଗୁଳିକୁ ଏଠାରେ ଉପସ୍ଥାପନ କରିବାର ଏକମାତ୍ର ଉଦ୍ଦେଶ୍ୟ, ସାମ୍ବାଦିକତାର ଦିଗ ପରିଦର୍ଶନ । ସବୁ ବୃତ୍ତି ଭଳି ସାମ୍ବାଦିକତାର ମଧ୍ୟ ରହିଛି ସ୍ୱାତନ୍ତ୍ର୍ୟ । କିନ୍ତୁ ଯଦି କୌଣସି ସାମ୍ବାଦିକ, ସତ୍ତାର ନିକଟବର୍ତ୍ତୀ ହେବା ପାଇଁ ସାମ୍ବାଦିକତାକୁ ବ୍ୟବହାର କରନ୍ତି, ତେବେ ବୁଝିବାକୁ ହେବ ଯେ, He is just writing his own epitaph.

 

ଲେଖକ  ଜଣେ ସାମ୍ବାଦିକ। ଏହି ସନ୍ଦର୍ଭରେ ଉପସ୍ଥାପିତ ମତାମତ ତାଙ୍କର ବ୍ୟକ୍ତିଗତ ଅନୁଶୀଳନ ଆଧାରିତ। ତାଙ୍କୁ ମୋବାଇଲ୍‌ ନଂ- 7377226029 ରେ ଯୋଗାଯୋଗ କରିହେବ।

 

ଅଧିକ ଅନୁଶୀଳନ ସନ୍ଦଭର୍ର୍ ଲାଗି କ୍ଲିକ୍‌ କରନ୍ତୁ

କରୋନା ପାଇଁ ଚୀନ୍ ଦାୟୀ ନୁହେଁ, ତବଲିଗି ମଧ୍ୟ ନିର୍ଦ୍ଦୋଷ : ରବିଶ୍‌ କୁମାର

‘କରୋନା ହେଉଛି ଉପଶମ, ମଣିଷମାନେ ରୋଗ’

କେମିତି ଧରାପଡ଼ିଲେ ୪୦ ହଜାର ଜମାତି ଓ ସମ୍ପର୍କୀୟ, ଭାରତୀୟ ଗୁଇନ୍ଦା ବିଭାଗର ଅଭୂତପୂର୍ବ…

Leave a Reply

Your email address will not be published. Required fields are marked *