‘ଲୁକାଛୁପି’ର ବକ୍ସ ଅଫିସ୍ ବ୍ୟବସାୟ ଧମାକା

କାର୍ତ୍ତିକ ଓ କୃତିଙ୍କ ଅଭିନୀତ କମେଡ଼ି ଫିଲ୍ମ ‘ଲୁକାଛୁପି’ ମାର୍ଚ୍ଚ ୧ ତାରିଖରେ ପରଦା ଉପରକୁ ଆସିଥିଲା । ଏହି ଫିଲ୍ମ ‘ଟୋଟାଲ୍ ଧମାଲ୍’ ଓ ‘ସୋନ୍ଚିଡ଼ିୟା’ ଭଳି ଦୁଇଦୁଇଟି ଦମ୍ଦାର୍ ଫିଲ୍ମକୁ ଟକ୍କର ଦେଇ ବ୍ୟବସାୟ କ୍ଷେତ୍ରରେ ବହୁତ ଆଗେଇ ଯାଇଥିବାର ଖବର ମିଳିଛି । ଲକ୍ଷ୍ମଣ ଉତେକର୍ଙ୍କ ନିର୍ଦ୍ଦେଶିତ ‘ଲୁକାଛୁପି’ ଓପନିଙ୍ଗ ଡେ’ରେ ୮ କୋଟି ୧ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା । ଏହି ଫିଲ୍ମ ପ୍ରତି ଦର୍ଶକଙ୍କର ପ୍ରତିକ୍ରିୟାରୁ ଅନୁମାନ କରାଯାଉଥିଲା ଯେ ଏହା ୱିକ୍ଏଣ୍ଡରେ ବକ୍ସ ଅଫିସ୍ରେ ଜବରଦସ୍ତ ବ୍ୟବସାୟ କରିବ । ଟ୍ରେଡ୍ ଆନାଲିଷ୍ଟଙ୍କ ଏହି ଆକଳନ ଠିକ୍ ହୋଇଥିଲା ଏବଂ ଶନିବାର ଓ ରବିବାର ଦିନର ମୋଟ ବ୍ୟବସାୟ ଥିଲା ୩୨ କୋଟି ୧୩ ଲକ୍ଷ ଟଙ୍କା । ବିଦେଶରେ ମଧ୍ୟ ‘ଲୁକାଛୁପି’ର ବ୍ୟବସାୟ ଭଲ ରହିଛି ବୋଲି ସୂଚନା ମିଳିଛି ।

ଫିଲ୍ମର କାହାଣୀ ମଥୁରାର ଜଣେ ଟେଲିଭିଜନ୍ ରିପୋର୍ଟର୍ ଗୁଡୁ( କାର୍ତିକ) ଓ ରଶ୍ମୀ (କୃତି)ଙ୍କ ପ୍ରେମ ସମ୍ପର୍କକୁ ନେଇ ଗତିଶୀଳ । ଫିଲ୍ମରେ କମେଡ଼ି ଟୁଇଷ୍ଟ୍ ସେତେବେଳେ ଆସିଛି, ଯେତେବେଳେ ଏହି ଯୋଡ଼ି ଲିଭ୍ଇନ୍ରେ ରହିବା ପାଇଁ ନିଷ୍ପତି ନେଉଛନ୍ତି ଏବଂ ପରିବାର ମଧ୍ୟ ସେମାନଙ୍କୁ ସପୋର୍ଟ କରୁଛନ୍ତି । ତେବେ ଏଭଳି ଏକ ନିଆରା କାହାଣୀକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ଏବଂ ଆଗାମୀ ଦିନରେ ଏହାର ବ୍ୟବସାୟ ଆହୁରି ବଢିବ ବୋଲି ଫିଲ୍ମ ସମୀକ୍ଷକମାନେ ପୂର୍ବାନୁମାନ କରିଛନ୍ତି ।

Leave a Reply

Your email address will not be published.