ଟ୍ରକ୍ ପଛକୁ ବାଡ଼େଇଲା ତୀର୍ଥଯାତ୍ରୀ ବସ୍: ୨୦ ଆହତ, ଖସିଗଲା ଡ୍ରାଇଭର୍
ବାଲେଶ୍ୱର: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଉତ୍ତରପଡ଼ା ଥାନା ଅଞ୍ଚଳର ଏକ ତୀର୍ଥଯାତ୍ରୀ ବସ୍ (ଡବ୍ଲ୍ୟୁ ବି ୧୯ଜି ୩୧୭୨) “ଗୀତାଞ୍ଜଳି’ ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଶନିବାର ଭୋର୍ରେ ଖନ୍ତାପଡ଼ା ଥାନା ଅଧୀନ ଏନ୍ଏଚ୍ର ମେଘା ପେଟ୍ରୋଲ ଟାଙ୍କି ନିକଟରେ ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଫଳରେ ବସ୍ରେ ଥିବା ପ୍ରାୟ ୭୦ଜଣ ତୀର୍ଥଯାତ୍ରୀଙ୍କ ମଧ୍ୟର ୨୦ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଡ୍ରାଇଭର୍ ଫେରାର୍ ହୋଯାଇଥିବା ବେଳେ ଆହତଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଇଥିଲା ପୁଲିସ୍ । ଗୁରୁତର ଆହତ ଯାତ୍ରୀମାନେ ହେଲେ ପ୍ରଭାତି ଥଣ୍ଡାର, ସରସ୍ୱତୀ ଥଣ୍ଡାର, ରାଜ ଥଣ୍ଡାର(୧୨), ପ୍ରଶାନ୍ତ ଥଣ୍ଡାର, ଶୁଭଙ୍କର ଗାଇନ, ସୋମନାଥ ରାୟ ପ୍ରମୁଖ । ଘନ କୁହୁଡ଼ି ହୋଇଥିବାରୁ ଦୁର୍ଘଟଣା ହୋଇଥିବା କୁହାଯାଇଥିବା ବେଳେ ଯାତ୍ରୀ ପ୍ରଭାତିଙ୍କ କହିବା ଅନୁସାରେ, ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ବହୁତ ଜୋର ଗାଡ଼ି ଚଳାଉଥିଲେ । ସେମାନେ ବାରଣ କରିଥିଲେ ମଧ୍ୟ ଡ୍ରାଇଭର୍ ଶୁଣିନଥିଲା । ଦୁର୍ଘଟଣା ଫଳରେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ପୁଲିସ୍ ତନାଘନା ଚଳାଇଛି ।